Thursday, June 6, 2013

ବାପା




ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ୤ ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ୤ ସେଦିନ ଅଫିସ୍‌ ଛୁଟି ଟାଇମ୍‌ ହୋଇଯାଇଥିଲେ ବି ପ୍ରବଳ ବର୍ଷା ଯୋଗୁଁ କେହି ବାହାରକୁ ବାହାରି ପାରୁ ନଥିଲେ୤ କୋଉଁଠି ଥିଲା ଏତେ ବର୍ଷା କେଜାଣି, ପ୍ରଳୟର ରୂପ ଧରି ଅନବରତ ବର୍ଷିଲା୤ ଗଛବୃଛ, ଉଚ୍ଚାକୋଠା, ଇଲେକ୍ଟ୍ରିକ୍‌ ଖୁଣ୍ଟ ସବୁକିଛି ଦିଶୁଥିଲା କେବଳ ବର୍ଷା ଆଉ ବର୍ଷା୤ ମାଟିରୁ ଆକାଶ, କେବଳ ବର୍ଷା ଆଉ ବର୍ଷା୤ ଲାଗୁଥିଲା, ଯେମିତି ଏ ସାରା ଦୃଶ୍ୟମାନ ଜଗତ କେବଳ ବର୍ଷାର ଅଧୀନ୤ ତା’ ଇଚ୍ଛା, ସେ ଚାହିଁଲେ ଥମିପାରେ, ସେ ଚାହିଁଲେ ଫୁ କରି ସବୁ କିଛି ଉଡ଼େଇ ନେଇପାରେ୤

ସେଦିନ ଅଫିସ୍‌ ଆସିଲାବେଳେ ନିତ୍ୟାନନ୍ଦଙ୍କ ପତ୍ନୀ ସଂଯୁକ୍ତା ବ୍ୟାଗ୍‌ ଧରେଇ ଦେଇ ଲମ୍ବା ଫରମାଇସ୍‌ କରିଥିଲେ- ଆଳୁ, ପିଆଜ, ବନ୍ଧାକୋବି, ଛଚିନ୍ଦ୍ରା, ଲେମ୍ବୁ୤ ପାୱାର୍‌ହାଉସ୍‌ ଛକରେ ଯଦି ଛତୁ ମିଳୁଥିବ ଅଧକିଲୋ ଆଣିବ୤ ହେଲେ ବର୍ଷାର ପ୍ରକୋପ କମିଲା ବେଳକୁ ରାତି ଆଠଟା୤ ନିତ୍ୟାନନ୍ଦ ଖାଲିହାତରେ ତରବର ହୋଇ ଘରକୁ ଫେରି ଆସିଥିଲେ୤ ସେ ଗୋଟାପଣେ ଓଦା ହୋଇ ଗେଟ୍‌ ସାମ୍ନାରେ ତାଙ୍କ ପୁରୁଣା ବଜାଜ୍‌ ସ୍କୁଟର୍‌ର ହର୍ଣ୍ଣ ବଜେଇଦେବା ମାତ୍ରେ, ସଂଯୁକ୍ତା ଛତାଟାଏ ଧରି ଦୌଡ଼ି ଆସିଲେ ଓ କହିଲେ – ବାପ୍‌ରେ ବାପ୍‌ କି ବର୍ଷା ! ଆସିଲ, ଜଲ୍‌ଦି ଭିତରକୁ ଆସ୤

ନିତ୍ୟାନନ୍ଦ କିନ୍ତୁ ଭୁଲି ନଥିଲେ ପରିବା କଥା୤ ତେଣୁ ସେ ସ୍କୁଟର୍‌ ଷ୍ଟାଣ୍ଡ ମାରୁ ମାରୁ କହିଲେ- ଏ ବର୍ଷାରେ ପରିବାବାଲା କେହି ଜଣେ ବି ନାହାନ୍ତି୤ ସଂଯୁକ୍ତା କହିଲେ- ଦରକାର ନାହିଁ୤ ତମେ ଆସିଲ୤ ଏ ଯୋଉ‍ ମେଘ ! ତମେ କେମିତି ପଳେଇ ଆସିଛ କୁହ୤
ନିତ୍ୟାନନ୍ଦ ଦୀର୍ଘଶ୍ବାସ ପକେଇଲେ, ଯାହାହେଉ ଆଜି ଭାଗ୍ୟ ଭଲ ୤ ତା’ ନ ହେଲେ ସଂଯୁକ୍ତା ଫରମାଇସ୍‌ କରିଥିବା ଜିନିଷ ନ’ଆଣି ମଧ୍ୟ ସେ ବିରକ୍ତ ହେଉନାହାନ୍ତି୤ ନିତ୍ୟାନନ୍ଦ ସେଇ ମୁହୂର୍ତ୍ତରେ ବେଶ୍‌ ଖୁସି ହୋଇଗଲେ ଓ ଅଧିକ ଉତ୍ସାହିତ ହୋଇ କହିଲେ- କାଲି ମନାନ୍‌ଠୁ ମଟନ୍‌ ଆଣିବା୤ ପିଲାମାନେ ବହୁଦିନ ହେଲା ମଟନ୍‌ ଖାଇନାହାନ୍ତି୤ ଭିତର ଘରୁ ନିତ୍ୟାନନ୍ଦଙ୍କ ସାନଝିଅ ଦୌଡ଼ି ଆସି କହିଲା- ନା, ବାପା ! ଚିକେନ୍‌ ଆଣିବ୤ ନିତ୍ୟାନନ୍ଦଙ୍କ ଓଦା ମୁଣ୍ଡ ପୋଛିବା ପାଇଁ ସଂଯୁକ୍ତା ଗାମୁଛା ଧରି ଆସୁ ଆସୁ କହିଲେ ଏତେ ଆଉ ମଟନ୍‌ ଖାଆନା ମ ! ନିତ୍ୟାନନ୍ଦ କିଛି କହିଲେନି ୤ ସାନଝିଅ ଚୁପ୍‌ଚାପ୍‌ ଘର ଭିତରକୁ ଚାଲିଗଲା୤ ସେତିକିବେଳକୁ ପଡ଼ିଶାଘର ମାଉସୀ ଡାକିଲେ- ମୀନୁ ! ମୀନୁ ତମ ଫୋନ୍‌୤ ନିତ୍ୟାନନ୍ଦଙ୍କ ବଡ଼ ଝିଅ ନାଁ ମୀନୁ୤ ପାଖ ଗାର୍ଲସ୍‌ ସ୍କୁଲ୍‌ରେ ଅଷ୍ଟମରେ ପାଠ ପଢ଼େ୤ ସେଇ ମୀନୁ ନାଁରେ ହିଁ ନିତ୍ୟାନନ୍ଦଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅଧିକାଂଶ ଚିହ୍ନନ୍ତି ସେ କଲୋନୀରେ୤ ପଡ଼ିଶାଘର ତ ନିତ୍ୟାନନ୍ଦଙ୍କୁ ମୀନୁବାପା ଓ ସଂଯୁକ୍ତାଙ୍କୁ ମୀନୁବୋଉ ବୋଲି ଡାକନ୍ତି୤

ନିତ୍ୟାନନ୍ଦଙ୍କ ସୀମିତ ରୋଜଗାର ଭିତରେ ଅନେକ ନାହିଁ ନାହିଁର ସମାହାର୤ ସେ ଅନେକଦିନ ତଳେ ଧାର କରଜ କରି ଘରେ ଗୋଟାଏ ଟେଲିଫୋନ୍‌ ଲଗେଇଥିଲେ୤ ହେଲେ, ମାସକୁ ମାସ ଟେଲିଫୋନ୍‌ର ଚଢ଼ା ବିଲ୍‌ ଦେଖି ସେ ଡରିଗଲେ୤ ବିଲ୍‌ ନ ଦେଇପାରିବାରୁ ଲାଇନ୍‌ କଟିଗଲା୤ ସେଇଦିନଠୁ ପଡ଼ିଶାଘର ଫୋନ୍‌ ଉପରେ ସେ ନିର୍ଭର କରି ଆସୁଛନ୍ତି୤ କେତେବେଳେ କେମିତି ପଡ଼ିଶାଘରକୁ ଫୋନ୍‌ ଆସିଲେ, ସେମାନେ ‘ହଉ ଡାକିଦଉଚୁ’ କହି ଡାକନ୍ତି ନାହିଁ! କେହି ନାହାନ୍ତି ବୋଧେ୤ ଯଦିଓ କୋଉଦିନ ଡାକନ୍ତି, ତେବେ ଫୋନ୍‌ ରିସିଭ୍‌ କରିବାକୁ ସଂଯୁକ୍ତା ହିଁ ଯାଆନ୍ତି୤ କାରଣ ଫୋନ୍‌ଟା ପଡ଼ିଶାଘର ବେଡ଼ରୁମ୍‌ରେ ଅଛି, ଆଉ ତାଙ୍କ ଘରେ ତିନିଟା ବଢ଼ିଲା ଝିଅ୤ ସେଇଥିପାଇଁ ନିତ୍ୟାନନ୍ଦ କେବେ ବି ତାଙ୍କ ଘର ଭିତରକୁ ଯାଆନ୍ତି ନାହିଁ୤

ସେଦିନ ମାଉସୀ ଡାକିଦେବା ମାତ୍ରେ ସଂଯୁକ୍ତା ଫୋନ୍‌ ରିସିଭ୍‌ କରିବାକୁ ତରବର ହୋଇ ବାହାରିଗଲେ୤ ନିତ୍ୟାନନ୍ଦ ଦାଣ୍ଡ କବାଟ ପାଖରେ ଠିଆ ହୋଇ ସଂଯୁକ୍ତା ଫେରି ଖବରଟା କ’ଣ ଜଣାଇବା ଯାଏ ଅପେକ୍ଷା କଲେ୤ ସଂଯୁକ୍ତା ଯେବେ ବି ତାଙ୍କ ଘରକୁ ଯାଆନ୍ତି, ତାଙ୍କ ବଡ଼ ଝିଅ ସହ ଦି’ପଦ କଥା ହୋଇ ଫେରନ୍ତି୤ ସେଦିନ କିନ୍ତୁ ସେ ଭିତରକୁ ଗଲେ ଓ ମୁହୂର୍ତ୍ତକ ମଧ୍ୟରେ ଝଡ଼ପରି ବାହାରି ଆସିଲେ୤ ନିତ୍ୟାନନ୍ଦ ଦେଖିଲେ ସଂଯୁକ୍ତା ଖାଲି ଫେରି ଆସୁନାହାନ୍ତି, ସେ ପିଲାଙ୍କ ପରି କାନ୍ଦିବା ଆରମ୍ଭ କଲେଣି୤ ସଂଯୁକ୍ତାଙ୍କ ପଛେ ପଛେ ପଡ଼ିଶା ଘରର ମାଉସୀ ଓ ତାଙ୍କ ସାରା ପରିବାର ବି ବାହାରକୁ ବାହାରି ଆସି ହତବାକ୍‌ ହୋଇ ଠିଆ ହୋଇଛନ୍ତି୤
ସଂଯୁକ୍ତା ଘରକୁ ଆସିଲେ ଓ ପିଲାଙ୍କ ପରି କାନ୍ଦୁଥିବା ଅବସ୍ଥାରେ ଯୋଉ ପଦକ କହିଲେ, ସେଥିରୁ ନିତ୍ୟାନନ୍ଦ ବୁଝିଗଲେ ଏ ଖବରଟି ହିଁ ତାଙ୍କର ଗାଁରୁ ଆସିଛି ଯେ, ଏଇ କେଇ ମିନିଟ୍‌ ତଳେ ବାପା ଚାଲିଗଲେ୤

ବାପାଙ୍କର କ’ଣ ହୋଇଥିଲା ଓ ଏମିତି ହଠାତ୍‌ କେମିତି ସେ ଆଖି ବୁଜିଦେଲେ, ଏକଥା ବୁଝିବାକୁ ନିତ୍ୟାନନ୍ଦଙ୍କୁ ଆଉ ସମୟ ନଥିଲା୤ ଖବରଟା ଜାଣୁ ଜାଣୁ ସେ ଲଥ୍‌କରି ଦାଣ୍ଡଘର ଖଟ ଉପରେ ବସିପଡ଼ିଲେ ଏବଂ ନିଜ ଛାତି ଭିତରୁ ଉଠି ଆସୁଥିବା କୋହକୁ ଲୁଚେଇବାକୁ ଯାଇ ଉପରକୁ ମୁହଁ ଉଠାଇଦେଲେ୤

ବାହାରେ ତଥାପି ବର୍ଷା କମି ନ ଥିଲା୤
ଭିତରେ ଏକ ବର୍ଷଣ ରାତିର ଶବ୍ଦମୟ ଖାଁ ଖାଁ୤ ନିତ୍ୟାନନ୍ଦ ନିଜ ଭିତରେ ଶୀତଳ ପ୍ରବାହକୁ ଚାପିରଖି ଉଠି ଠିଆହେଲେ ଓ କହିଲେ, ଚାଲ ଆମେ ଏବେ ଗାଁକୁ ଯିବା୤ ସଂଯୁକ୍ତା ଲୁହ ପୋଛି ପଚାରିଲେ, ‘କେମିତି ଯିବା, ଏବେ କ’ଣ ବସ୍‌ ମିଳିବ ?’ ସେତିକିବେଳକୁ ନିତ୍ୟାନନ୍ଦଙ୍କର ତାଙ୍କ ଅଫିସ୍‌ ପରିଡ଼ାବାବୁଙ୍କ କଥା ମନେପଡ଼ିଲା୤ ପରିଡ଼ାବାବୁ ବର୍ଷକ ତଳୁ ଆମ୍ବାସାଡ଼ର ଗାଡ଼ିଟେ କିଣି ଭଡ଼ା ଦେଉଛନ୍ତି୤ ନିତ୍ୟାନନ୍ଦ, ପାଖ ଟେଲିଫୋନ୍‌ ବୁଥ୍‌କୁ ଗଲେ ଓ ପରିଡ଼ାବାବୁଙ୍କୁ ଫୋନ୍‌ କରିବା ମାତ୍ରେ ସେ ତାଙ୍କ ଗାଡ଼ିଟି ପଠାଇଦେଲେ୤ 
ନିତ୍ୟାନନ୍ଦଙ୍କର ଆଜି ବି ମନେପଡ଼ୁଛି ସେଦିନ ସେମାନେ ଭୁବନେଶ୍ବରରୁ ବାହାରିବା ବେଳକୁ ରାତି ନଅଟା୤ ବାଟସାରା ବର୍ଷା୤ କାର୍‌ ଭିତରେ ନିତ୍ୟାନନ୍ଦ, ସଂଯୁକ୍ତା, ତାଙ୍କର ତିନୋଟି ପିଲା ଓ ଦୂର ସମ୍ପର୍କୀୟ ଜଣେ ଭାଇ ବସିଥିଲେ ବି କାହାରି ପାଟିରେ ପଦେ କଥା ନ ଥିଲା୤ ନିତ୍ୟାନନ୍ଦଙ୍କୁ ଲାଗୁଥିଲା ଯେମିତି ଭୁବନେଶ୍ବରରୁ ଜଗତ୍‌ସିଂହପୁର ରାସ୍ତା ଲମ୍ବିଯାଇଛି୤ ବାଟସାରା ମନେ ପଡ଼ୁଥିଲା ବାପାଙ୍କର ସେଇ ଦିନ ସବୁ୤

ବାପା କଟକରେ ଚାକିରି କରୁଥିଲେ ସେତେବେଳେ୤ ଆଖ ପାଖରେ ସେତେବେଳେ ଆଉ କେହି କଟକରେ ଚାକିରି କରୁ ନଥିଲେ୤ ସାଇର ସତ୍ୟାଜା ଆଉ କାହ୍ନୁ ଅଜା ପରି କେଇଜଣ କଲିକତା ଝୋଟକଳରେ କାମ କରୁଥିଲେ୤ ସେମାନେ ଥରେ ଦଶହରାକୁ ଓ ଆଉ ଥରେ ରଜବେଳକୁ ଗାଁକୁ ଆସୁଥିଲେ୤ ବାପା କିନ୍ତୁ ସବୁ ଶନିବାର ସନ୍ଧ୍ୟାରେ କଟକରୁ ଗାଁକୁ ଫେରୁଥିଲେ୤ ନିତ୍ୟାନନ୍ଦଙ୍କର ମନେ ପଡ଼ୁଥିଲା, ସେତେବେଳକୁ ତାଙ୍କ ଗାଁ ପାଖ ନଈରେ ପୋଲ ହୋଇ ନ’ଥିଲା୤ ବାପା କଟକରୁ ବସ୍‌ରେ ଆସି ବାଲିଆ ଛକରେ ଓହ୍ଲାଉଥିଲେ୤ ଶନିବାର ଦିନ ବେଳ ବୁଡ଼ୁବୁଡ଼ୁ, ତାଙ୍କ ଘରେ ଚାକିରିଆ ଥିବା ନାଥ କି ବରହମୁ ଯାଇ ବାଲିଆ ଛକର ସେଇ ନେଳି କୁଜି ବସ୍‌ଟାକୁ ଅପେକ୍ଷା କରୁଥିଲେ୤ ବାପା ସତକୁ ସତ ସେଇ ବସ୍‌ରେ ହିଁ ଆସୁଥିଲେ୤ ସେ ବସ୍‌ ଚାଲିଯିବା ପରେ ବାଲିଆ ଛକର ବାବନ ଶୁଣ୍ଢି ତା’ ଚା’ ଦୋକାନ ବନ୍ଦ କରି ଲଣ୍ଠନ ଧରି ଘରକୁ ଚାଲି ଯାଉଥିଲା୤

ବାପା ଗାଁକୁ ଫେରୁଥିଲେ୤
ଆଗେ ଆଗେ ବାପା, ପଛରେ ନାଥ୤ ନାଥ ମୁଣ୍ଡରେ ଥିବ ବଡ଼ ପୁଟୁଳିଟିଏ୤ ସେ ପୁଟୁଳି ଭିତରେ ଥିବ, ଜେଜେଙ୍କ ପାଇଁ ନୂଆ ହରିବଂଶ ବହି, ମା’ ପାଇଁ ଆଲିଗଡ଼ କୋଲପ ଓ କଞ୍ଚି, ଦାଦାଙ୍କର ଲୁଙ୍ଗି ଓ କୁମ୍ଭପକା ଗାମୁଛା, ବୋଉର ବରାଦ ଅନୁସାରେ କାହାପାଇଁ ହାତୀମାର୍କା ଡ୍ରଇଁ ଖାତା, କାହା ପାଇଁ ପ୍ଲାଟୋ କଲମ୍‌, କାହାପାଇଁ କ୍ରୁସ୍‌ ଓ ସୂତା, ଖୁଡ଼ିଙ୍କର ରାମବାବୁଙ୍କ ଚିଠା ଅନୁସାରେ ମାସକର ଶ୍ବାସ ଔଷଧ, ନାଥ ପାଇଁ ହଳେ ମଟର ଟାୟାର୍‌ର ଚପଲ ଆଉ ଗୋଟାଏ ବଡ଼ ଜରିଭର୍ତ୍ତି ବିସ୍କୁଟ୤ ବାପା ଘରେ ପହଞ୍ଚିଲା ବେଳକୁ ଜେଜେ ଲଣ୍ଠନଟାଏ ଧରି ଗାଁ ମୁଣ୍ଡ ବୁଲେଇଗଣ୍ଡ ମଶାଣି ପାଖଯାଏ ଚାଲି ଚାଲି ଯାଇଥିବେ୤ ମା’ ବାରିପଟ ଗୁହାଳ ଡେଇଁ ଗୋରୁବନ୍ଧା ପଥର ପାଖରେ ଥାଇ ଯାହାକୁ ବି ଅନ୍ଧାରରେ ଦେଖୁଥିବ ଡାକୁଥିବ ବଙ୍ଗୁକିରେ ! ବାପାଙ୍କ ନାଁ ଉମାକାନ୍ତ ବୋଲି ସମସ୍ତେ ଜାଣିଥିଲେ ବି ମା’ ସେଇ ବଙ୍ଗୁ ନାଁରେ ହିଁ ତାଙ୍କୁ ଡାକେ୤

ଗାଁର ରାତି, ବୁଢ଼ୀ ଅସୁରୁଣୀ କଥାର ରାତି ପରି ସାଇଁ ସାଇଁ ବଢ଼ୁଥାଏ୤ ସଞ୍ଜ ବୁଡ଼ୁବୁଡ଼ୁ ରୋଷେଇ କାମ ସାରି ସାହିର ଆଉ ସମସ୍ତଙ୍କ ଘରେ କବାଟ ପଡ଼ି ସାରିଥାଏ୤ ସାରା ଗାଁଟା ଭାରି ଖାଁ ଖାଁ ଲାଗୁଥାଏ୤ ବେଳେବେଳେ ରାତିର ସେଇ ନିସ୍ତବ୍ଧତାକୁ ଚିରି କେବଳ ବୁଢ଼ୀ ମା’ର ଡାକ ଶୁଭୁଥାଏ- ବଙ୍ଗୁ କିରେ….. ୤ ସେ ଡାକ ଅନ୍ଧାର ଭିତରେ ହଜି ଯାଇଥାଏ୤ ରାତି ବଢ଼ୁଥାଏ୤ ହେଲେ ଆମେ ଘରେ ଯେତେ ଛୋଟ ପିଲା, କାହା ଆଖିକୁ ନିଦ ନ ଥାଏ୤ କାରଣ, ବାପା ଆଜି କଟକରୁ ଆସିବେ, ଲେମ୍ବଚୁଚ୍‌ ଆଣିବେ ବୋଲି ଭାବିଦବା ମାତ୍ରେ ଆଖିରୁ ନିଦ କୁଆଡ଼େ ହଜି ଯାଇଥାଏ୤ ବାପା ଆଣିଥିବା ଜରିରେ ଥାଏ କେତେ ପ୍ରକାର ବିସ୍କୁଟ୤ କେତେ ପ୍ରକାର ଲେମ୍ବଚୁଚ୤ ହାତୀ, ଘୋଡ଼ା, ମୟୂର, ହଂସ ଆକାରର ଜରିଭର୍ତ୍ତି ବିସ୍କୁଟ ଆଉ ରୋଲ ଲେମ୍ବଚୁଚ୍‌ରେ ଧଳା ଓ ଗୋଲାପିର ପଟି ପଟି ଗାର ଆମ ଆଖିରୁ ନିଦ ଚୋରେଇ ନେଇଥାଏ୤

ଶେଷରେ ଦୋକାନ ପାଖ ବରଗଛ ମୂଳୁ ଦିଶେ ଜେଜେଙ୍କ ଲଣ୍ଠନ ଓ ସେଇ ଲଣ୍ଠନ ଆଲୁଅରେ ଝାପ୍‌ସା ଦିଶେ କେତେଟା ମଣିଷଙ୍କ ଚାଲୁଥିବା ଗୋଡ଼୤ ଆମେ ସେଇ ବାରିପଟ ପାହାଚ ପାଖରେ ଥାଇ ତାଳିମାରି ନାଚୁ୤ ନିତ୍ୟାନନ୍ଦଙ୍କର ସ୍ପଷ୍ଟ ମନେ ଅଛି- ସେତିକିବେଳକୁ ସେ ଖୁବ୍‌ ଏକ ପ୍ରବଣତାରେ ଡାକଦିଅନ୍ତି- ବାପା…୤ ବାପା ମ ୤

ସେଇ ବରଗଛ ପାଖ ଅନ୍ଧାର ଭିତରୁ ଅଭୟବାଣୀ ଶୁଣାଇବା ପରି ବାପା ଜବାବ ଦିଅନ୍ତି- ହଁ…. ଅ….୤

ବାପା, ବାରି କବାଟ ଟପି ଦୁଆରେ ପାଦ ଦଉ ଦଉ ମା’ ଦୌଡ଼ିଯାଇ ଦୁଆର ଚୁଲିରେ ରସଗିନାରେ ସୋରିଷ ତେଲ ଆଉ ରସୁଣ ଫୁଟେଇ ନେଇଆସେ୤ ବାରିକୂଅ ମୂଳକୁ ବୋଉ ହାତରେ, ଏଭେରେଡ଼ିର ପିତଳ ଟର୍ଚ୍ଚଟା ମାରି ଆଗେ ଆଗେ ଯାଏ୤ ବାପା ପଛେ ପଛେ ଚାଲନ୍ତି୤ ପରିଡ଼ା ଘର ବଟିଆଦି ସେଇ ଦୋକାନ ପାଖ ଛକରୁ ଆସି କୂଅରୁ ଦି’ ବାଲ୍‌ଟି ପାଣି କାଢ଼ି ଦିଅନ୍ତି୤ ବାପା ଧୋଇଧାଇ ହେଇ ଆସିଲା ପରେ ମା’ ମାଣଘର ସାମ୍ନା ମାଟି ପିଣ୍ଡାରେ ଶଉପ ଖଣ୍ଡେ ପକେଇଦିଏ୤ ବାପା ପିନ୍ଧିଥାନ୍ତି ବ୍ଲୁ ରଙ୍ଗର ସିଲ୍‌କ ଲୁଙ୍ଗି ଖଣ୍ଡେ ଓ କାନ୍ଧରେ ଥାଏ ପାଞ୍ଚହାତୀ ଖୋର୍ଦ୍ଧା ଗାମୁଛା୤ ମା’ ତାଙ୍କ ପାଦରେ ଗରମ ତେଲ ଘଷୁ ଘଷୁ କହୁଥାଏ- ବୁଝିଲୁରେ ବଙ୍ଗୁ ! ଏ ବର୍ଷ ଖାଲ କିଆରୀରେ ବାରଶବୟାଳିଶ ବୁଣା ହେଇଛି୤ ମଠ ଉପରେ ବଛା ସରିଲାଣି୤ ତୁ ଯୋଉ ବାରମାସୀ ଆମ୍ବଚାରା ଆଣି ନଥିଲୁ, ସେଟା କେଡ଼େ ଛନଛନ ହୋଇ ଯାଇଥିଲା୤ ସେ ବାଡ଼ିଖିଆ ମାଧା, ଛେଳି ପଲ ଛାଡ଼ି ଦଉଚି ଯେ, ସବୁ ନାରଖାର କରିଦଉଛନ୍ତି୤

ବାପା ଚମକି ପଡ଼ିଲାପରି ପଚାରନ୍ତି- ସେ ବାରିଟା ବାଡ଼ ବୁଜା ହେଇନିକି ? ମା’ ଓ ବାପାଙ୍କର ଏମିତି କଥାବର୍ତ୍ତା ଚାଲିଥିବା ବେଳେ ବୋଉ ସେ ବହୁ ଲୋଭନୀୟ ପୁଟୁଳିଟା ଖୋଲେ୤ ସତେକି ସେଇଟା ପୁଟୁଳି ନୁହେଁ, ଏକ ଅସରନ୍ତି ଭଣ୍ଡାର ! ନିତ୍ୟାନନ୍ଦଙ୍କର ମନେଅଛି, ଦାଦାଙ୍କଠୁ ଆରମ୍ଭ କରି ସାନପିଲାଙ୍କ ଯାଏ ସମସ୍ତେ ବେଢ଼ି ଯାଇଥାନ୍ତି ସେଇ ପୁଟୁଳିଟିକୁ୤ ସେତିକିବେଳେକୁ ଚମକେଇ ଦେବା ପାଇଁ ବୋଉ କୁହେ, ଆରେ ନିତିଆ ! ତୋର ନୂଆ ବହି ଆସିଚିରେ୤ ନିତ୍ୟାନନ୍ଦ ବୋଉ ହାତରୁ ଏକବାର ସେ ବହିଟା ଝାମ୍ପିନିଅନ୍ତି୤ ନୂଆ ବହିଟା ଭିତରେ ଖୁବ୍‌ ସମୟ ଯାଏ ନାକ ମାଡ଼ି, ତା’ ପୃଷ୍ଠାମାନଙ୍କରୁ ବାହାରୁଥିବା ବାସ୍ନାକୁ ଶୋଷିନିଅନ୍ତି୤ ମନେ ମନେ କହନ୍ତି, କାଲି କେମିତି ରାତି ପାହିଲେ ସ୍କୁଲରେ ଯାଇ ସାଙ୍ଗମାନଙ୍କ ଆଗରେ ଏପରି ଏକ ଦୁର୍ଲଭ ବସ୍ତୁ ଦେଖାଇବାକୁ ପଡ଼ିବ୤

ରବିବାର ଦିନ ସକାଳୁ ବାପା ଛତାଟିଏ ଧରି ବିଲଆଡ଼କୁ ଚାଲିଯାଆନ୍ତି୤ ସେ ମାଟି କାଦୁଅର ହିଡ଼ମାନଙ୍କ ସହ ତାଙ୍କର କି ସମ୍ପର୍କ କେଜାଣି ! ପ୍ରତିଟି କ୍ଷେତର ଗୋଟାଏ ଗୋଟାଏ ଛୋଟ ଇତିହାସ ବାପାଙ୍କର ମୁଖସ୍ଥ ଥାଏ୤ ବାପା କହନ୍ତି- ଏଇ ଛ’ଗୁଣ୍ଠ ପାଇଁ ନଟିଆ ଗୋଲାମ୍‌ ସହ ଏଗାର ବର୍ଷ ମକଦ୍ଦମା ଲଢ଼ା ହୋଇଛି୤ ପୁଣି ଆଉ ଖଣ୍ଡେ ବିଲ ଦେଖାଇ କହନ୍ତି-ଭିଙ୍ଗାରପୁର ଜମିଦାର ଏଇ ଜମିଖଣ୍ଡକ ପାଇଁ ଚକରା କବିରାଜକୁ ଦି’ ମହଣ ଘିଅ ଲାଞ୍ଚ ଦେଇଥିଲେ୤ ଏଇଟା ପରା ସୁନାଥାଳି ଜମି ! ହିଡ଼ରେ ଥିବା କୋଇଲିଖିଆ କଣ୍ଟାକୁ ସେ ନିଜ ହାତରେ ଓପାଡ଼ନ୍ତି ଓ ବିଲରେ ହଳ କରୁଥିବା, ନାଥ କି ବରହମୁ ସହ କଥା ହଉ ହଉ ଖରା ଆସି ମୁଣ୍ଡ ଉପରେ ହୁଏ୤
ବିଲରୁ ବାପା ଘରକୁ ଫେରିବା ବେଳକୁ ଦାଦା ପୋଳୁହ ମଡ଼େଇ ସାହାରା ଗଡ଼ିଆରୁ ବାଳିଆ ମାଛ ଧରିଥାନ୍ତି୤ କଦଳୀ ପତ୍ରରେ ବାପାଙ୍କ ପାଇଁ ଭାତ ବଢ଼ା ହୁଏ୤ ବାପା ଘରେ ଥିଲେ, ଘର ଲାଗୁଥାଏ ପର୍ବ ପର୍ବ୤ ରବିବାର ରାତି ପାହି ସୋମବାର ସକାଳର କାଉ କା’ କଲାବେଳକୁ ବାପା କଟକ ବାହାରି ଯାଇଥାନ୍ତି୤ ଖୁଡ଼ୀ ରାତିଅଧରୁ ଉଠି ବାପାଙ୍କ ପ୍ରିୟ ଖେଚେଡ଼ି ରାନ୍ଧିଥାନ୍ତି୤ ବୋଉ, ଗୋଟାଏ ଜରିରେ ବାପାଙ୍କ ପାଇଁ ଜରିଏ ମୁଢ଼ି ଓ ବିଡ଼ାଏ ସାହାଡ଼ା ଦାନ୍ତକାଠି ସଜାଡ଼ି ଦେଇଥାଏ୤ ଜେଜେଙ୍କ ସାଙ୍ଗରେ ବାପା ଭୋର୍‌ରୁ ଉଠି ପୁଣି ବାଲିଆ ଛକରେ ଫାଷ୍ଟ୍‌ବସ୍‌ ଧରିବାକୁ ଚାଲିଯାଆନ୍ତି୤

ଜଗତ୍‌ସିଂହପୁରରେ ପହଞ୍ଚିବାକୁ ଆଉ ଅଳ୍ପବାଟ ବାକିଥିଲା୤ ନିତ୍ୟାନନ୍ଦ ଭାବୁଥିଲେ, ଏତେ ସ୍ମୃତି ଓ ଏତେ ସମ୍ପର୍କର ସେ ମଣିଷଟି କ’ଣ ସତରେ ଆଉ ଆଖି ଖୋଲି ଚାହୁଁ ନଥିବେ ! ବାପା ବୋଲି ଡାକିଦେବା ମାତ୍ରେ ପ୍ରତିଧ୍ବନିରେ ‘ଓ’ ବୋଲି କହୁଥିବା ମଣିଷଟି ସତରେ କ’ଣ ନୀରବ ନିସ୍ପନ୍ଦ ହୋଇଯାଇଥିବେ ! ନିତ୍ୟାନନ୍ଦଙ୍କ ଆଖିରେ ଆଖିଏ ଲୁହ ଟଳମଳ ହେଲା୤ ରାସ୍ତାଘାଟ ତାଙ୍କୁ ଝାପ୍‌ସା ଦିଶିଲା୤ ନିତ୍ୟାନନ୍ଦ ଆଉ ନିଜ ଭିତରର କୋହ ସମ୍ଭାଳି ପାରିଲେ ନାହିଁ- ସେହି ଗାଡ଼ି ଭିତରେ କଇଁ କଇଁ ହୋଇ କାନ୍ଦି ଉଠିଲେ୤
ସେମାନେ ଘରେ ପହଞ୍ଚିଲାବେଳକୁ ବାପା ସତରେ ଦୂର ଆକାଶର ତାରା ହୋଇସାରିଥିଲେ୤ ନିଦରେ ଶୋଇପଡ଼ିଥିବା ଭଳି ବାପା ତାଙ୍କ ଅତିପ୍ରିୟ ଖଟ ଉପରେ ଚିତ୍‌ହୋଇ ଶୋଇଥିଲେ୤ ଆଖି ଦିଓଟି ମୁଦି ହୋଇଯାଇଥିଲା୤ ସକାଳୁ କ୍ଲିନ୍‌ସେଭ୍‌ ହୋଇଥିଲେ୤ ମୁହଁଟି ଜୀବନ୍ତ ମଣିଷର ମୁହଁପରି ଅର୍ଥପୂର୍ଣ୍ଣ ଲାଗୁଥିଲା ୤ ତାଙ୍କ ପାଦଠୁ ବେକଯାଏ ହରିନାମ ଲେଖାଥିବା ଏକ ନାମାବଳୀ ଘୋଡ଼ା ହୋଇଥିଲା୤ ତାଙ୍କ ଘର ସାମ୍ନାରେ ନିର୍ବାକ ମଣିଷମାନଙ୍କର କାନ୍ଦୁରା ମୁହଁଟିମାନ ସେ ଗଭୀର ବର୍ଷାରାତିକୁ ଆହୁରି କରୁଣ କରି ଦେଉଥିଲା୤ ନିତ୍ୟାନନ୍ଦ ବାପାଙ୍କର ସେଇ ଶୋଇବାଘରକୁ ପଶିବାମାତ୍ରେ ଲାଗିଲା ବାପା ଯେମିତି ଉଠିପଡ଼ି କହିବେ, ଆରେ ! କେତେବେଳେ ଆସିଲୁ ? ଆଜି ଦେହଟା ଟିକେ ଭଲ ଲାଗୁନି ତ, ଶୋଇ ପଡ଼ିଥିଲି୤

ନିତ୍ୟାନନ୍ଦ ବାପାଙ୍କ ପାଦ ପାଖରେ ଆଣ୍ଠେଇପଡ଼ି ପାଦ ଦିଓଟିକୁ ଛୁଇଁଲେ୤ ବରଫ ପରି ଥଣ୍ଡା ଓ କାଠ ପରି ଟାଣ ଲାଗୁଚି ପାଦ ଦୁଇଟି୤ ଓଡ଼ିଶାର କୋଣ ଅନୁକୋଣ ଦିନେ ଏଇ ପାଦ ଯୋଡ଼ିକରେ ବୁଲିବୁଲି ସେ ଦେଖିଥିଲେ୤ ଆଜି ଆଉ ଏ ପାଦରେ ଶକ୍ତି ନାହିଁ୤ ନିତ୍ୟାନନ୍ଦ ସେ ପାଦ ଦିଓଟିକୁ ଧରି ଡ଼ାକିଲେ- ବାପା ! ବାପା ! ଅତ୍ୟନ୍ତ ଧୈର୍ଯ୍ୟବନ୍ତ ଲାଗୁଥିବା ଜଣେ ଚିହ୍ନା ପ୍ରୌଢ଼ ନିତ୍ୟାନନ୍ଦଙ୍କ ବାହୁକୁ ଧରି ଉଠେଇ ଆଣୁ ଆଣୁ କହିଲେ- ତମ ବାପା ସବୁ କରିଛନ୍ତି୤ ପୁଅଝିଅଙ୍କୁ ମଣିଷ କରି ବାହାଚୋରା କରିଛନ୍ତି୤ ଆଉ ତାଙ୍କର କିଛି ଅବଶୋଷ ନାହିଁ୤ ଥାଉ ବାବା ଥାଉ, ତମେ କାନ୍ଦିଲେ ତାଙ୍କ ଆତ୍ମା କଲବଲ ହେବ୤

ନିତ୍ୟାନନ୍ଦ ବୁଝି ପାରିଲେନି, ଚାଳିଶବର୍ଷ ଧରି ଯୋଉ ମଣିଷଟି ତାଙ୍କର ସୁଖଦୁଃଖ ବୁଝୁଥିଲା, ଯୋଉ ମଣିଷଟି ତାଙ୍କର ହାତଧରି ଚାଲି ଶିଖେଇଲା, ଯୋଉ ମଣିଷ ନିଃସ୍ବାର୍ଥପର ଭାବରେ କେବଳ ତାଙ୍କୁ ତିଆରି କରିଗଲା, ତା’ ପାଇଁ କିଛି ନ ହେଲେ ବି ଦି’ଟୋପା ଲୁହ ସେ ଦେଇପାରିବେନି ? କୋଉଠି ଥାନ୍ତି ଏମିତି ସ୍ଥିତପ୍ରଜ୍ଞ ପଡ଼ିଶାମାନେ୤ ବାପାର ଶବ ପାଖରେ ପୁଅକୁ ମୁହୂର୍ତ୍ତେ ବସିବାର ସୁଯୋଗ ଦିଅନ୍ତିନି୤

ରାତି ପାହିବା ପୂର୍ବରୁ ବାପାଙ୍କ ଶବ ସତ୍କାର ସରିଗଲା୤ ଦିନେ ନିତ୍ୟାନନ୍ଦଙ୍କ ଆଖିର ଆକାଶ ପରି ବିଶାଳ ଓ ସାଗର ପରି ଗଭୀର ଦିଶୁଥିବା ବାପା ନାମକ ମଣିଷଟି ରାତି ପାହିଲାବେଳକୁ ଦିକ୍‌ ଦିକ୍‌ ଜଳୁଥିବା କିଛି ଅଙ୍ଗାର ଓ ଦୁଇମୁଠା ପାଉଁଶରେ ପରିଣତ ହୋଇଯାଇଥିଲେ୤ ନିତ୍ୟାନନ୍ଦ ସେ ପାଉଁଶ ଆଡ଼କୁ ଥରେ ଚାହିଁଲେ ଓ ଆଖିର ଲୁହକୁ ସମ୍ଭାଳି ନେଇ କହିଲେ- ବାପା ! ତମେ ସତରେ କୁଆଡ଼େ ଲୁଚିଗଲ ! ତମକୁ ସତରେ ଆଉ ଖୋଜିଲେ କୋଉଠି କେବେ ବି ମିଳିବନି ? ନିତ୍ୟାନନ୍ଦଙ୍କ ଲୁହ ଓ କୋହ ସେଇ ମଶାଣିପଦାର ବୁଢ଼ା ବରଗଛ ଓ ବରଗଛ ଡାଳରେ ଓଦା ସରସର ହେଇ ପର ଝାଡ଼ୁଥିବା ଏକ୍‌ଲା ଚଢ଼େଇଟା ଅବା ଶୁଣିଥିଲେ ଣୁଣିଥିବେ୤

ବାପାଙ୍କ ଶବ ସଂସ୍କାର ପରେ ନିତ୍ୟାନନ୍ଦ, ତାଙ୍କ ବଡ଼ଭାଇ, ସାନଭାଇ, କଟକରୁ ଆସିଥିବା ଦାଦାଙ୍କ ପୁଅମାନ ବସି ସ୍ଥିର କଲେ ଶୁଦ୍ଧିକ୍ରିୟା କେମିତି ହେବ୤ ନିତ୍ୟାନନ୍ଦଙ୍କ ବଡ଼ଭାଇ ସତ୍ୟାନନ୍ଦ କୋହଭରା ସ୍ବରରେ କହିଲେ- ବାପା ଆମ ସମସ୍ତଙ୍କ ପାଇଁ ସବୁକିଛି କରିଛନ୍ତି୤ ଆମେ ଆଜି ଯାହା ହୋଇଛେ, ସବୁ ସେଇ ବାପାଙ୍କ ପାଇଁ୤ ଜୀବନରେ ସେ କେବେ କାହା ଉପରେ ବୋଝ ହୋଇ ନାହାନ୍ତି, କି କାହାଠୁ ଦଶପଇସାର ଆଶା କରି ନାହାନ୍ତି୤ ତେଣୁ ତାଙ୍କ ଶୁଦ୍ଧିଘର ଯେତେ ଭଲ ହେଇପାରିବ ଆମେ କରିବା୤ ସତ୍ୟାନନ୍ଦଙ୍କ କଥାରେ କାହାର ଅମଙ୍ଗ ହେବାର ନ ଥିଲା୤ ସେତିକିବେଳକୁ ପରିଡ଼ାଘର ବଟିଆଦି କହିଲେ- ବିଷମ ସମସ୍ୟା ହେଲାଣି୤ କଥା କ’ଣ ବୁଝୁ ବୁଝୁ ବଟିଆଦି କହିଲେ ତମ ସାଇ ପରିକ୍ଷିତ କହୁଛି, ସେ ଶୁଦ୍ଧି ଫୁଦ୍ଧି ହେବ ନାର୍ହଁ୤ ଠାକୁର ପୂଜା କରିବ, ମାଛ ମାଉଁସ ଖାଇବ୤ ତା’ ବଡ଼ପୁଅ ଫଟାନାତି ମନାକରି ପଠେଇଛି୤ ସେ କହୁଛି, ଗଲାସନ ଜାଗାବାଡ଼ିକୁ ନେଇ ତମସହ ତା’ର ଝଗଡ଼ା ତୁଟିନାହିଁ୤ ତେଣୁ ସେ ଭାଇପଣ କାଟିଦେଲା୤ ବାପାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଥିବା ଦାଦା, ତୁରନ୍ତ ବଡ଼ ପାଟିରେ ଚିତ୍କାର କଲେ- ‘କାଲିପରି ଲାଗୁନି, ପରିକ୍ଷିତର ଖାଇବାକୁ ଖୁଦ ନ ଥିଲା, ପିନ୍ଧିବାକୁ କନା ନ ଥିଲା୤ ତା’ ବାପା ସାଉଟା ବୁଢ଼ା କାନ୍ଦି କାନ୍ଦି କହିଲା- ପରିକ୍ଷିତ ମୋର ପରୀକ୍ଷା ଦବ ଯେ, ପଁଷଠୀ ଟଙ୍କା ଦରକାର୤ ସେଦିନ ମୋର ଏଇ ଭାଇ ତାକୁ ଶଏ ଟଙ୍କା ଦେଇଥିଲେ୤ ସେ ସବୁ କ’ଣ ପରିକ୍ଷିତ ଭୁଲିଗଲା ?’ ଦାଦା ଚିତ୍କାର କରୁଥାନ୍ତି ଓ କୋହରେ ଫାଟି ପଡ଼ୁଥାନ୍ତି୤

ନିତ୍ୟାନନ୍ଦଙ୍କ ଠିକ୍‌ ମନେଅଛି, ସେଦିନ ବାପାଙ୍କ ଶୁଦ୍ଧିକ୍ରିୟା ନେଇ ଯେମିତି ଛୋଟ ପଞ୍ଚାୟତଟେ ବସିଥିଲା୤ ବାପାଙ୍କ ସ୍ମୃତିରେ ଡହଳ ବିକଳ ହୋଇ ସେଦିନ ନିତ୍ୟାନନ୍ଦ ପଣ କରିଥିଲେ, ଯେମିତି ହଉ, ଯେତେ କଷ୍ଟ ପଡ଼ୁ ପଛେ ବାପାଙ୍କ ସ୍ମୃତି ରକ୍ଷା ପାଇଁ କିଛି ଗୋଟାଏ କରିବାକୁ ପଡ଼ିବ୤ ଦରକାର ପଡ଼ିଲେ ସଂଯୁକ୍ତାଙ୍କ ଗହଣା ବିକିଦେବି, ପୁରୁଣା ସ୍କୁଟରଟା ବିକିଦେବି୤ ଏପରିକି ପାର୍ଟଟାଇମ୍‌ ଟ୍ୟୁସନ୍‌ କରି ବାପାଙ୍କ ସ୍ମୃତି ବଞ୍ଚାଇ ରଖିବା ପାଇଁ ନିତ୍ୟାନନ୍ଦ ସେଦିନ ମନେ ମନେ ସଙ୍କଳ୍ପ କଲେ୤

ବାପାଙ୍କ ଦଶାହ ଦିନ ସବୁ ବନ୍ଧୁବାନ୍ଧବ ଘରେ ଏକାଠି ହେଲେ୤ ନିତ୍ୟାନନ୍ଦଙ୍କ ମନେ ପଡ଼ିଲେ ଆଶ୍ଚର୍ଯ୍ୟ ଲାଗୁଥିଲା, ସେଦିନ ଘରେ ପାଦ ଦେଉ ଦେଉ ଯୋଉ ନାନୀ ବାପାଙ୍କ ଗୁଣଗାନ କରି ବାହୁନୁ ଥିଲା, କେଇଘଣ୍ଟା ପରେ ସେ ସ୍ବାଭାବିକ ହୋଇ ବସିଲା ଓ ସତ୍ୟାନନ୍ଦ ଭାଇଙ୍କୁ କହିଲା, ଝିଅ ହିସାବରେ ଏ ଘରୁ ମୁଁ କେବେ କୌଣସି ପର୍ବରେ କିଛି ପାଇ ନାହିଁ୤ ଏଇଥର ଭଲ ଶାଢ଼ୀ ଦିଖଣ୍ଡ ଦବ୤ କହୁ କହୁ ସେ ଏକଥା ବି କହିଲା ଆଜିକାଲି ଆଉ କ’ଣ କିଏ ସୂତା ପ୍ରିଣ୍ଟ୍‌ ପିନ୍ଧୁଛନ୍ତି୤ ମୋ ଶାଶୁଘର ଲୋକ ଦେଖିବେ୤ ଦବ ଯଦି ସାଉଥ୍‌କଟନ୍‌, ନ ହେଲେ ଧନିଆକାଲି୤

ଭବାନୀପାଟଣାରୁ ଆସିଥିବା ଭଉଣୀର ଚଳିବା ଭଲ୤ ତା’ ବର ଗୋଟେ ବଡ଼ କମ୍ପାନୀର ମ୍ୟାନେଜର୤ ଭୁବନେଶ୍ବରରେ ବଡ଼ କୋଠା୤ ତା’ ପିଲାମାନେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚକରି ଓଡ଼ିଶା ବାହାରେ କଅଣ ସବୁ ପଢ଼ୁଛନ୍ତି୤ ସେ ବି ନାକ ସୁଁ ସୁଁ କରି କହିଲା – ଭାଇ ! ତମେ ତ ଜାଣ, ଇୟେ ଜମା ଧୋତି ଫୋତି ପିନ୍ଧନ୍ତି ନାହିଁ୤ ୟା’ଙ୍କ ପାଇଁ ପ୍ୟାଣ୍ଟ ସାର୍ଟ କରିଦବ୤ ଆଉ ମୋ ପୁଅମାନେ ବାହାରେ ରହିଲେ କଅଣ ହେଲା, ଅଜା ମରିଛନ୍ତି ଯେତେବେଳେ, ଶୁଦ୍ଧି ତ ନିଶ୍ଚୟ ହେବେ୤ ତାଙ୍କ ପାଇଁ କୋରିୟର୍‌ରେ ଡ୍ରେସ୍‌ ପଠେଇ ଦବ୤
ଆପଣାର ବୋଲି ମନେ ହେଉଥିବା ମଣିଷମାନଙ୍କର କପଟାଚାରରେ ସେଦିନ ସତ୍ୟାନନ୍ଦ କେମିତି ଆକ୍ତାମାକ୍ତା ହୋଇ ଯାଉଥିଲେ ସେକଥା ମନେ ପଡ଼ୁଥିଲା ନିତ୍ୟାନନ୍ଦଙ୍କର୤ ଝିଅ ବାହାଘର ପାଇଁ ଯୋଗାଡ଼ କରିଥିବା ଟଙ୍କାପଇସା ବାପାଙ୍କ ଶୁଦ୍ଧିଘରରେ ଖର୍ଚ୍ଚ କରିବାକୁ ସତ୍ୟାନନ୍ଦ ଡରୁ ନଥିଲେ୤ ଡରୁଥିଲେ, କେବଳ ନିଜ ପ୍ରିୟ ପରିଜନଙ୍କ ମୁଖାଲଗା ମୁହଁଟିମାନ ଦେଖି୤

ବାଙ୍ଗାଲୋର୍‌ରେ ରହୁଥିବା ଝିଅ ଜ୍ବାଇଁଙ୍କ ପାଇଁ ସତ୍ୟାନନ୍ଦ ବେଶ୍‌ ଯତ୍ନବାନ୍‌ ଥିଲେ୤ କହୁଥିଲେ ଝିଅଟା ଏତେ ଦୂରରୂ ଆସୁଛି୤ ତା’ ଜ୍ବାଇଁଟା ବି ପ୍ରଥମ ନିମତକୁ ଆସୁଛି୤ କିଛି ଅସୁବିଧା ହେଲେ କ’ଣ ଭାବିବ୤ ସେମାନଙ୍କ ପାଇଁ ସେଇ ଗାଁଠୁ ସାମନ୍ୟ ଦୂରରେ ଥିବା ଡାକବଙ୍ଗଳା ବି-ରିଜର୍ଭେସନ କରି ରଖିଥିଲେ ସତ୍ୟାନନ୍ଦ୤ ଦଶାହଦିନ ସନ୍ଧ୍ୟାରେ ସେମାନେ କଟକରୁ ଏକ ଗାଡ଼ି ଭଡ଼ାକରି ପହଞ୍ଚିଲେ୤ ସାଙ୍ଗରେ ତାଙ୍କର ପିଲା, ଦି’ଟା ବଡ଼ ଆଟାଚି ଆଉ ବେଡ଼ିଂ ପତ୍ର୤ ଘରେ ପହଞ୍ଚୁ ପହଞ୍ଚୁ ସେମାନେ ଯେତେବେଳେ ଶୁଣିଲେ ତାଙ୍କ ପାଇଁ ସ୍ବତନ୍ତ୍ର ଏକ ବଙ୍ଗଳା ରିଜର୍ଭେସନ କରାଯାଇଛି, ସେମାନେ ଖୁସି ହୋଇଗଲେ୤ ଏକରେ ବଙ୍ଗଳାରେ ଘର ଅପେକ୍ଷା ଅଧିକ ସ୍ବାଚ୍ଛନ୍ଦ୍ୟ ମିଳିବ, ଦ୍ବିତୀୟରେ ସେମାନେ ଅନ୍ୟ ବନ୍ଧୁମାନଙ୍କଠାରୁ ଯେ ସ୍ବତନ୍ତ୍ର ସେକଥା ପ୍ରମାଣିତ ହୋଇଯିବ୤

ଦଶ ହାଣ୍ଡିରେ ରନ୍ଧା ହୋଇଥିଲା ମୋଟା ବଗଡ଼ା ଉଷୁନା ଭାତ ଆଉ ଅଣବଘରା, ଅଣହଳଦିଆ ଡାଲମା୤ ବାଙ୍ଗାଲୋରରୁ ଆସିଥିବା ଜ୍ବାଇଁ ଉଚ୍ଚଶିକ୍ଷିତ, ତେଣୁ ଆଡ଼୍‌ଭାନ୍‌ସ୍ଡ୍‌୤ ସେ ସେଇ ରାତିରେ ମୃଦୁ ପ୍ରତିବାଦ କରି କହିଲେ- ଏସବୁ ନାଷ୍ଟି ଆଇଡ଼ୋଲୋଜି୤ କୋଉଠି ଲେଖା ଅଛି ଏମିତି ଅଣବଘରା ବାଜେ ତରକାରୀ ଖାଇବ ବୋଲି ! ଯଦି ଏମିତି କଲେ ମଲାଲୋକ ମୋକ୍ଷ ହୁଅନ୍ତେ, ତେବେ ଧର୍ମ-ଫର୍ମ, ଠାକୁର ପୂଜା କରିବ କାହିଁକି ? ସେ କେବଳ ଏତକ କହିଲେ ନାହିଁ, ବରଂ ଖାଇବା ପତ୍ରରୁ ଉଠି ଚାଲିଗଲେ୤ ସତ୍ୟାନନ୍ଦ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବି ପାରିଲେ ନାହିଁ୤

ବାହାରେ ସେମାନଙ୍କ ଗାଡ଼ି ଅପେକ୍ଷା କରିଥିଲା୤ ସେମାନେ ବଙ୍ଗଳାକୁ ଚାଲିଗଲେ୤ ସକାଳୁ ସକାଳୁ ଫେରିଆସି ଭୀଷଣ ବିରକ୍ତ ହୋଇ ସେ ଜ୍ବାଇଁ ଯେତେବେଳେ କହିଲେ- ରୁମ୍‌ରେ ଏ.ସି. ନାହିଁ୤ ମଶା ପ୍ରବଳ୤ ଏମିତି ରୁମ୍‌ରେ କିଏ ଶୁଏ ? ତଥାପି ନା ସତ୍ୟାନନ୍ଦ, ନା ନିତ୍ୟାନନ୍ଦ ବା ତାଙ୍କର କେହି ଜଣେ ହେଲେ ଭାଇ ପ୍ରତିବାଦ କରିପାରିଲେ ନାହିଁ୤ ସତେକି ବାପାଙ୍କ ମୃତ୍ୟୁ ସହ ସେମାନେ ସେମାନଙ୍କ ବାକ୍ଶକ୍ତି ହରାଇଥିଲେ୤ ଏକାଦଶାହ ଦିନ ଭୋଜିଭାତ ସରିବା ପରେ ସକାଳୁ ସକାଳୁ ଯିଏ ଯେଝାବାଟରେ ବାହାରିଲେ୤ ସେଥିପାଇଁ ସତ୍ୟାନନ୍ଦ, ନିତ୍ୟାନନ୍ଦ ଓ ସେମାନଙ୍କ ସାରା ପରିବାର ଲୋଟଣୀପାରା ପରି ଲାଗି ପଡ଼ିଥିଲେ୤ କାହା ପାଇଁ ରସଗୋଲା କିଣାଯିବ ତ କାହା ପାଇଁ ବୁନ୍ଦିଆ୤ କାହା ଗାଡ଼ିରେ ଗାଁ ଗଛରୁ ଓଉ ତୋଳି ରଖାଯିବ ତ, କାହା ଗାଡ଼ିରେ କଦଳୀ କାନ୍ଦି୤ କାହା ପିଲା ପାଇଁ ମନଲାଖି ଡ୍ରେସ୍‌ ନ ହୋଇ ପାରିବାରୁ ତା’ ପାଖରେ ଦାନ୍ତ ନେଫେଡ଼ି ହସିବାକୁ ପଡ଼ିବ ତ, କାହାକୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ, ସପ୍ତାହେ ପରେ ଆମେ ସବୁ ନେଇକି ଯିବୁ୤
ବନ୍ଧୁ ବିଦା ସରିବା ପରେ ସଂଯୁକ୍ତା ନିତ୍ୟାନନ୍ଦଙ୍କର ମନେ ପକେଇଦେଲେ ପିଲାମାନଙ୍କର ବାରଦିନ ହେଲା ସ୍କୁଲ୍‌ ବନ୍ଦ୤ ଆଉ ସପ୍ତାହେ ପରେ ହାପ୍ଇୟର୍ଲି୤ ନିତ୍ୟାନନ୍ଦ ଚମକି ପଡ଼ିଲେ୤ ସତେତ, ୟା ଭିତରେ ତାଙ୍କର ଅନେକ କାମ ବାକି ରହିଗଲାଣି୤ ମହାପାତ୍ର ବାବୁଙ୍କ ଜମିବିକ୍ରୀ କଥା ଅଧା ରହିଯାଇଛି୤ କୈଳାସବାବୁଙ୍କ ସହ ଭଦ୍ରକ ଯାଇ ଟ୍ରାକ୍ଟର କିଣିବା କାମଟା ପକ୍କା କରିବାକୁ ପଡ଼ିବ୤ ସ୍ବାଇଁବାବୁ କହୁଥିଲେ ଗୋଟାଏ ସପ୍ଲାଏ ଅର୍ଡ଼ର ମିଳିବ ବୋଲି୤ ୟା’ ଭିତରେ କଅଣ ହେଲା କେଜାଣି୤ ସହସା ବାପାଙ୍କୁ ନେଇ ତାଙ୍କ ଭିତରେ ଉଠୁଥିବା ପ୍ରବଣତାର ଢେଉ ଥମିଗଲା୤ ସେ ମନକୁ ମନ କହିଲେ- ହଁ, ବୟସ ହୋଇଯାଇଥିଲା୤ ଆଉ କେତେବର୍ଷ ବା ବଞ୍ଚିଥାନ୍ତେ୤ ତାଙ୍କର ଏଥର ଭୁବନେଶ୍ବର ଫେରିଯିବା ଦରକାର୤ ସେ ଚିନ୍ତାକଲେ ଓ ପରଦିନ ପ୍ରବଳ ବର୍ଷା ସତ୍ତ୍ବେ ପିଲାମାନଙ୍କୁ ଧରି ଭୁବନେଶ୍ବର ଫେରି ଆସିଥିଲେ୤

ସେଦିନ ସେମିତି ଏକ ବର୍ଷା ଦେଖି ଅଚାନକ ମନେପଡ଼ିଲେ ବାପା୤ ନିତ୍ୟାନନ୍ଦ ମନକୁ ମନ କହିଲେ- ଆରେ! ୟା’ ଭିତରେ ବାପାଙ୍କର ମରିବା ଦି’ ବର୍ଷ ହୋଇଗଲାଣି୤ ସେ ବାରମ୍ବାର ବାପାଙ୍କ କଥା ମନେପକାଇଲେ ଓ ଅନ୍ୟମନସ୍କ ଭାବେ ସଅଳ ଘରକୁ ଫେରିଆସିଲେ୤

ଘରେ ପହଞ୍ଚୁ ପହଞ୍ଚୁ ସଂଯୁକ୍ତା ପଚାରିଲେ ଆଜି କ’ଣ ଏତେ ଜଲ୍‌ଦି ? ନିତ୍ୟାନନ୍ଦ ମୁହୂର୍ତ୍ତେ ଚୁପ୍‌ ରହିବା ପରେ କହିଲେ- ଯୋଉଦିନ ବାପା ଚାଲି ଯାଇଥିଲେ ଏମିତି ବର୍ଷା ହେଉ ନ ଥିଲା ? ସଂଯୁକ୍ତା କହିଲେ- ହଁ ଏଇ ସେପ୍ଟେମ୍ବର ମାସ ତ ! ନିତ୍ୟାନନ୍ଦ କହିଲେ ବାପାଙ୍କ ମୃତ୍ୟୁ ତାରିଖଟା କେତେ ? ସଂଯୁକ୍ତା କିଛି ସମୟ ମନେ ପକାଇବା ପରେ କହିଲେ, ଅଣତିରିଶ ବୋଧେ୤
ନା….ମ- ପଚିଶ୍‌ ନା ଛବିଶ୤ ନିତ୍ୟାନନ୍ଦ କହିଲେ୤

ସଂଯୁକ୍ତା କହିଲେ- ନା, ଦରମା ମିଳିବାକୁ ପା ଦିନେ ଥିଲା୤
ନିତ୍ୟାନନ୍ଦ କହିଲେ ୟା’ରି ଭିତରେ ତା’ ହେଲେ ବାପାଙ୍କ ଶ୍ରାଦ୍ଧ କେବେ ପଡ଼ିବ୤

ସଂଯୁକ୍ତା କହିଲେ ତମର ତିଥି ମନେଅଛି ? ନିତ୍ୟାନନ୍ଦ କିଛି ସମୟ ମନେ ପକାଇବାକୁ ଚେଷ୍ଟା କଲେ ଓ କହିଲେ ଗାଁରୁ କିଛି ଫୋନ୍‌ଫାନ୍‌ ଆସିନି ?

ତାଙ୍କ ଫୋନ୍‌ ପା ଆଠଦିନ ହେଲାଣି ଡେଡ଼୍‌୤ ସଂଯୁକ୍ତା ଏତକ କହିଲେ ଓ ରୋଷେଇ ଘରକୁ ଚାଲିଗଲେ୤ ନିତ୍ୟାନନ୍ଦ କହିଲେ କାଲି ସକାଳୁ ମନେ ପକେଇଦବ ତ, ଆମ ଗାଁ ପୋଷ୍ଟ ଅଫିସ୍‌ ଫୋନ୍‌ କରି ଦାଦାଙ୍କୁ ଡାକିଦବା, ଦାଦା କହିପାରିବେ ଠିକ୍‌ ତାରିଖ୤
ପରଦିନ ସକାଳୁ ନିତ୍ୟାନନ୍ଦଙ୍କ ଝିଅ ହିଁ ମନେ ପକାଇଦେଲା ଫୋନ୍‌ କରିବାକୁ ! ନିତ୍ୟାନନ୍ଦ ଖବରକାଗଜ ପଢ଼ା ସାରି ଦାଢ଼ି କାଟିଲେ୤ ଘରୁ ବାହାରିଲା ମାତ୍ରେ ପଡ଼ିଶା ଘର ମହାନ୍ତିବାବୁଙ୍କ ସହ ପେଟ୍ରୋଲ୍‌ ଦର ବଢ଼ିବା ସମ୍ପର୍କରେ କଥା ହେଲେ୤ ତା’ପରେ ପାଖ ବୁଥ୍‌କୁ ଫୋନ୍‌ କରିବାକୁ ଯିବା ସମୟରେ ସାଇକେଲ୍‌ ଚଢ଼ି ଆସି ପହଞ୍ଚିଲା ତାଙ୍କ ଗାଁ ବାବୁଲା୤

ବାବୁଲା ତାଙ୍କ ଗାଁ ପିଲା୤ ଭୁବନେଶ୍ବରରେ ଗୋଟାଏ ଲୁଗା ଦୋକାନରେ କାମ କରେ୤ ମଝିରେ ମଝିରେ ଗାଁକୁ ଯାଏ୤ ସେ ସାଇକେଲ୍‌ରୁ ଓହ୍ଲାଇପଡ଼ି ନମସ୍କାର କଲା ଓ ଦୋଷୀଟିଏ ପରି ତଳକୁ ମୁହଁପୋତି କହିଲା, ‘ଗଲା ପଅର ଦିନ ଆପଣଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା୤ ଆପଣଙ୍କ ଭାଇ ମୋ ହାତରେ ଖବର ଦେଇଥିଲେ ଯେ, ମୁଁ ଭାବିଲି ଆପଣ ତ ଜାଣିଥିବେ୤ ବର୍ଷା ହଉଥିଲା, ତେଣୁ ଆସିପାରିଲି ନାହିଁ୤’

ନିତ୍ୟାନନ୍ଦ ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ୤ ବାପାଙ୍କ ଶ୍ରାଦ୍ଧ ୟା’ ଭିତରେ ଦୁଇଦିନ ହେଲା ଚାଲିଗଲାଣି, ଅଥଚ ତାଙ୍କର ମନେ ନାହିଁ୤ କେହି ଜାଣୁ ନାହାନ୍ତି ତ ଏ କଥା ! ଭାଇ ଯଦି ପଚାରିବେ, ଆରେ ! ଏ ବର୍ଷ ବାପାଙ୍କ ଶ୍ରାଦ୍ଧକୁ କାହିଁ ଆସିଲୁନି ? କି ଉତ୍ତର ଦେବି ?





No comments:

Post a Comment